*ଅଲାରନାଥଙ୍କ ଅନବସର ଦର୍ଶନ ନିମନ୍ତେ ପ୍ରସ୍ତୁତି ଚୂଡ଼ାନ୍ତ ପୁରୀ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ*
ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ପରେ ପବିତ୍ର ଅନବସର ସମୟରେ ବ୍ରହ୍ମଗିରି ସ୍ଥିତ ପ୍ରସିଦ୍ଧ ଶ୍ରୀ ଅଲାରନାଥ ପୀଠରେ ସାର୍ବଜନୀନ ଦର୍ଶନକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ପାଇଁ ଏକ ପ୍ରଶାସନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁରୀ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଆସନ୍ତା ଅନବସର ସମୟରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା, ଶୃଙ୍ଖଳା ଏବଂ ଜନସାଧାରଣଙ୍କ ସୁବିଧା ସୁଯୋଗର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି।ଚଳିତ ବର୍ଷ ଭକ୍ତମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୋଇ ଶାନ୍ତିପୂର୍ଣ୍ଣ ଭାବେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅଲକାନନ୍ଦା ରୂପର ଦର୍ଶନ କରିପାରିବେ, ସେଥିପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ଅନବସର ସମୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ମୁଖ୍ୟ ନିଷ୍ପତ୍ତିଗୁଡ଼ିକ ମଧ୍ୟରେ ରହିଛିଶୃଙ୍ଖଳିତ ଦର୍ଶନ ଓ ବାରିକେଡ୍ ମନ୍ଦିର ପରିସର ଏବଂ ବାହାରେ ସ୍ୱତନ୍ତ୍ର ବାରିକେଡ୍ ନିର୍ମାଣ କରାଯିବ, ଯେପରି ଭକ୍ତମାନେ ଧାଡ଼ିରେ ଯାଇ ଶାନ୍ତିଶୃଙ୍ଖଳାର ସହ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ବୟସ୍କ ଓ ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରବେଶ ପଥର ବ୍ୟବସ୍ଥା କରାଯିବ।ପାନୀୟ ଜଳ ଓ ସ୍ୱାସ୍ଥ୍ୟ ସେବା ପ୍ରବଳ ଗ୍ରୀଷ୍ମକୁ ଆଖିରେ ରଖି ପୂରା ଅଞ୍ଚଳରେ ପର୍ଯ୍ୟାପ୍ତ ପାନୀୟ ଜଳ ଯୋଗାଣ ଓ ଓଆରଏସ (ORS) କାଉଣ୍ଟର କରାଯିବ। ଜରୁରୀକାଳୀନ ପରିସ୍ଥିତି ପାଇଁ ମନ୍ଦିର ନିକଟରେ ୨୪ ଘଣ୍ଟିଆ ମେଡିକାଲ୍ କ୍ୟାମ୍ପ ସହ ଆମ୍ବୁଲାନ୍ସ ମୁତୟନ ରହିବ।ଟ୍ରାଫିକ ଓ ପାର୍କିଂ ନିୟନ୍ତ୍ରଣ ପୁରୀ-ବ୍ରହ୍ମଗିରି ରାସ୍ତାରେ ଯାନବାହନ ଚଳାଚଳ ସ୍ୱାଭାବିକ ରଖିବା ଏବଂ ଜାମ୍ରୁ ମୁକ୍ତି ପାଇଁ ତିନୋଟି ସ୍ଥାନରେ ଅସ୍ଥାୟୀ ପାର୍କିଂ ସ୍ଥଳ ଚିହ୍ନଟ କରାଯାଇଛି। ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବ।ଉପଜିଲ୍ଲାପାଳଙ୍କ ସୂଚନା ଅଲାରନାଥଙ୍କ ଅନବସର ଦର୍ଶନ ପାଇଁ ଆସୁଥିବା ପ୍ରତ୍ୟେକ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଆମର ପ୍ରାଥମିକତା। ପ୍ରଶାସନ, ପୋଲିସ ଏବଂ ସେବାୟତ ସମସ୍ତଙ୍କ ମିଳିତ ସହଯୋଗରେ ଏହି ପ୍ରକ୍ରିୟାକୁ ସଫଳ କରାଯିବ।ନୀତିକାନ୍ତି ଯେପରି ସମୟାନୁବର୍ତ୍ତୀ ହେବ ଏବଂ ଭକ୍ତମାନେ ଅଧିକ ସମୟ ଦର୍ଶନ ସୁଯୋଗ ପାଇବେ, ସେଥିପାଇଁ ସେବାୟତ ନିଯୋଗଙ୍କ ସହ ସବିଶେଷ ଆଲୋଚନା ହୋଇଛି। ମନ୍ଦିର ଭିତରେ ଏବଂ ବାହାରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ସ୍ଥାନୀୟ ପ୍ରଶାସନ ଓ ସେବା ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି। ଏହା ସହିତ ସୁଆଣ୍ଡୋ ଏବଂ କ୍ଷୀରଭୋଗ ପ୍ରସ୍ତୁତିର ମାନ ଉପରେ ମଧ୍ୟ ନଜର ରଖାଯିବ।ଏହି ସମୀକ୍ଷା ବୈଠକରେ ବ୍ରହ୍ମଗିରି ତହସିଲଦାର, ବିଡିଓ, ମନ୍ଦିର ପ୍ରଶାସନିକ ଅଧିକାରୀ, ସ୍ଥାନୀୟ ସରପଞ୍ଚ ଏବଂ ପୋଲିସ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ନିଜ ନିଜ ବିଭାଗର ପ୍ରସ୍ତୁତି ସମ୍ପର୍କରେ ରିପୋର୍ଟ ପ୍ରଦାନ କରିଥିଲେ।
ପୁରୀ ବ୍ରହ୍ମଗିରି ରୁ ପିଙ୍କୁନ୍ ଜେନା ରିପୋର୍ଟ
