ଡାଇମଣ୍ଡ ଲିଗ୍‌ରେ ପଦାର୍ପଣ କରିବେ ସର୍ବେଶ: ମୋନାକୋରେ ବିଶ୍ବର ଦିଗ୍ଗଜଙ୍କ ସହ ହେବ କଡ଼ା ଟକ୍କର !

୩୧ ବର୍ଷୀୟ ସର୍ବେଶଙ୍କ ସାମ୍ନାରେ ବିଶ୍ୱର ବଡ଼ ବଡ଼ ଦିଗ୍ଗଜ ରହିବେ । ଟୋକିଓ ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜେତା ତଥା ୩ ଥର ବିଶ୍ବବିଜେତା କତରର ମୁତାଜ ଇସା ବାର୍ସିମଙ୍କ ସହ ସର୍ବେଶ ସିଧାସଳଖ ଟ୍ରଫି ଲଢ଼େଇକୁ ଓହ୍ଲାଇବେ ।

ଭାରତୀୟ ଆଥଲେଟିକ୍ସ ପାଇଁ ଆସିଛି ଏକ ବଡ଼ ଖବର । ସଦ୍ୟ ଜାତୀୟ କୀର୍ତ୍ତିମାନ ସ୍ଥାପନ କରିଥିବା ଷ୍ଟାର୍ ଭାରତୀୟ ହାଇ ଜମ୍ପର୍‌ ସର୍ବେଶ କୁଶାରେ ଏବେ ଅନ୍ତର୍ଜାତୀୟ ସ୍ତରରେ ନିଜର ଜଲୱା ଦେଖାଇବାକୁ ପ୍ରସ୍ତୁତ । ସେ ମୋନାକୋରେ ଆୟୋଜିତ ହେବାକୁ ଥିବା ସମ୍ମାନଜନକ ‘ଡାଇମଣ୍ଡ ଲିଗ୍‌’ରେ ପଦାର୍ପଣ କରିବାକୁ ଯାଉଛନ୍ତି । ଏହି ମେଗା ଇଭେଣ୍ଟରେ ସେ ବିଶ୍ବର ‘ଏଲିଟ୍‌’ ବା ଶ୍ରେଷ୍ଠ ହାଇ ଜମ୍ପର୍‌ଙ୍କ ସହ କଡ଼ା ପ୍ରତିଦ୍ବନ୍ଦ୍ବିତା କରିବେ ।

 

ଏହି ୧୦ ଜଣିଆ ପ୍ରତିଯୋଗିତାରେ ୩୧ ବର୍ଷୀୟ ସର୍ବେଶଙ୍କ ସାମ୍ନାରେ ବିଶ୍ୱର ବଡ଼ ବଡ଼ ଦିଗ୍ଗଜ ରହିବେ ।

ଟୋକିଓ ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜେତା ତଥା ୩ ଥର ବିଶ୍ବବିଜେତା କତରର ମୁତାଜ ଇସା ବାର୍ସିମଙ୍କ ସହ ସର୍ବେଶ ସିଧାସଳଖ ଟ୍ରଫି ଲଢ଼େଇକୁ ଓହ୍ଲାଇବେ । ଏହାବ୍ୟତୀତ ୨୦୨୫ ବିଶ୍ବ କାଂସ୍ୟ ବିଜେତା ଚେକ୍‌ ଗଣରାଜ୍ୟର ଜାନ୍‌ ଷ୍ଟିଫେଲା, ବିଶ୍ବ ଇନ୍‌ଡୋର ବିଜେତା ୟୁକ୍ରେନ୍‌ର ଓଲେ ଡୋରୋସ୍‌ଚୁକ୍‌ ଏବଂ ୨୦୨୩ ବିଶ୍ବ ରୌପ୍ୟ ବିଜେତା ଆମେରିକାର ଜୁଭନ୍‌ ହାରିସନ୍‌ ମଧ୍ୟ ଏହି ଦୌଡ଼ରେ ସାମିଲ ଅଛନ୍ତି ।

ନିକଟରେ ଭୁବନେଶ୍ବରଠାରେ ଆୟୋଜିତ ଜାତୀୟ ଅନ୍ତଃରାଜ୍ୟ ପ୍ରତିଯୋଗିତାରେ ସର୍ବେଶ ଚମତ୍କାର ପ୍ରଦର୍ଶନ କରିଥିଲେ । ସେ ୨.୩୧ ମିଟର ଡେଇଁ ସ୍ବର୍ଣ୍ଣ ପଦକ ଜିତିଥିଲେ । ଏଥିସହ ଗତ ଜୁନ୍ ୨୭ରେ ସେ ତେଜସ୍ବିନ ଶଙ୍କର (୨.୨୯ ମିଟର) ଙ୍କ ନାମରେ ଥିବା ୮ ବର୍ଷ ତଳର ରେକର୍ଡକୁ ମଧ୍ୟ ଭାଙ୍ଗି ଦେଇଥିଲେ । ଚଳିତ ଋତୁରେ ସେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ସହ ଗ୍ରେଟ୍‌ ବ୍ରିଟେନ୍‌ର ଜାକ୍‌ କିମିନିଙ୍କ ସହ ଯୁଗ୍ମ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ଉଭୟଙ୍କ ଆଗରେ କେବଳ ଡୋରୋସ୍‌ଚୁକ୍‌ ରହିଛନ୍ତି ।

ବର୍ତ୍ତମାନ ସର୍ବେଶ ଏସୀୟ ହାଇ ଜମ୍ପର୍‌ ତାଲିକାରେ ୧ ନମ୍ବର ସ୍ଥାନରେ ରହି ସମସ୍ତଙ୍କୁ ଗର୍ବିତ କରିଛନ୍ତି । ଗତ ବର୍ଷ ଟୋକିଓରେ ଆୟୋଜିତ ବିଶ୍ବ ପ୍ରତିଯୋଗିତାକୁ ଯୋଗ୍ୟତା ଅର୍ଜନ କରିବାରେ ସେ ପ୍ରଥମ ଭାରତୀୟ ପୁରୁଷ ହାଇଜମ୍ପର୍‌ ହେବାର ଗୌରବ ମଧ୍ୟ ଲାଭ କରିଥିଲେ । ଏବେ ଡାଇମଣ୍ଡ ଲିଗ୍‌ରେ ତାଙ୍କର ଐତିହାସିକ ପଦାର୍ପଣ ଏବଂ ପ୍ରଦର୍ଶନ ଉପରେ ପୂରା ଦେଶର ନଜର ରହିଛି ।

Leave a Reply

Your email address will not be published. Required fields are marked *