ପଶ୍ଚିମବଙ୍ଗ ଶଂଖାମେଦୀ ପରେ କୋଟିଆରେ ଏସଆଇଆର ଲଢ଼େଇ ; ଦ୍ବନ୍ଦ୍ବରେ ସ୍ଥାନୀୟ ବାସିନ୍ଦା

ପଶ୍ଚିମବଙ୍ଗ ସୀମାନ୍ତରେ ଥିବା ଶଂଖାମେଦୀ ପରେ ଏସଆଇଆରକୁ ନେଇ ପୁଣି ଚର୍ଚ୍ଚାରେ ଆନ୍ଧ୍ରପ୍ରଦେଶ ସୀମାନ୍ତ ଗାଁ  କୋଟିଆ । ଓଡ଼ିଶାର ସୀମାନ୍ତ ଜିଲ୍ଲା କୋରାପୁଟ କୋଟିଆ କାହାର। ଏବେ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡିବାକୁ ଯାଉଛି। ଓଡ଼ିଶାର ଅବିଛେଦ୍ୟ ଅଙ୍ଗ କୁହାଯାଉଥିବା କୋଟିଆରେ ଓଡ଼ିଶା ତରଫରୁ ଏସଆଇଆର ପରେ ଏବେ ଆନ୍ଧ୍ର ଅଧିକାରୀ ମାନେ କୋଟିଆରେ ଅନୁପ୍ରବେଶ କରି ଏସଆଇଆର କାର୍ଯ୍ୟକ୍ରମ ଆରମ୍ବ କରିଛନ୍ତି । ଯାହାକୁ ନେଇ ଦ୍ୱନ୍ଦରେ ପଡିଛନ୍ତି କୋଟିଆବାସୀ।

ଏସ୍‌ଆଇଆର୍‌ରୁ ଜଣାପଡ଼ିବ କୋଟିଆ କାହାର?
ଓଡ଼ିଶା ପରେ ଆନ୍ଧ୍ରର ଭୋଟର୍‌ ସର୍ଭେ

ଧରାପଡ଼ିବେ ଉଭୟ ରାଜ୍ୟ ଭୋଟର୍‌

ଏସଆଇଆର ପରେ ପ୍ରମାଣିତ ହୋଇଯିବ କୋଟିଆ କାହାର। କାରଣ ନିକଟରେ ଓଡ଼ିଶା ତରଫରୁ କୋଟିଆରେ ଭୋଟର ସଂଶୋଧନ ପ୍ରକ୍ରିୟା(ଏସଆଇଆର) ହୋଇଥିଲା। ଏବେ ଆନ୍ଧ୍ର ଅଧିକାରୀ ଓ ଅଙ୍ଗନୱାଡ଼ି କର୍ମୀ ଘର ଘର ବୁଲି କୋଟିଆରେ ଏସଆଇଆର ଫର୍ମ ପୁରଣ କରି ସାଲୁର ତହସିଲଦାରଙ୍କୁ ପ୍ରଦାନ କରୁଛନ୍ତି । କିନ୍ତୁ ଉଭୟ ରାଜ୍ୟର ଯୋଜନାର ସଫଳତା ପାଉଥିବା କୋଟିଆବାସୀ ଏବେ ଏସଆଇଆରକୁ ନେଇ ଦ୍ୱନ୍ଦରେ ପଡିଯାଇଛନ୍ତି। ଏସ୍‌ଆଇଆର୍‌ ପରେ ସଂଶୋଧିତ ଭୋଟର୍‌ ତାଲିକାରେ ଉଭୟ ରାଜ୍ୟରେ ନାମ ଥିବା ବ୍ୟକ୍ତିଙ୍କ ଗୋଟିଏ କଟିବା ନିଶ୍ଚିତ। ତେବେ ଆନ୍ଧ୍ର ଅଧିକାରୀଙ୍କ ଏଭଳି ବେଆଇନ ଏସଆଇଆରକୁ ରୋକିବାକୁ ବିଡ଼ିଓ, ତହସିଲଦାର ଓ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ସରକାର।

କୋଟିଆ ପଞ୍ଚାୟତରେ ଭୋଟର୍‌ ସଂଖ୍ୟା ୫୫୦୨। ସେଥିରୁ ପ୍ରାୟ ଅଧା ଭୋଟର୍‌ ଅର୍ଥାତ୍ ଅଢ଼େଇ ହଜାରରୁ ଅଧିକ ଭୋଟର୍‌ ଦୁଇଟି ରାଜ୍ୟରେ ଭୋଟ୍‌ ଦେଉଛନ୍ତି। କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଳକ କୋଟିଆରେ ରହିଛି ୨୧ ଟି ଗ୍ରାମ ଓ ୭ ଟି ରାଜସ୍ବ ଗାଁ ରହିଛି। ଓଡ଼ିଶା ସୀମା ଓ ମାନଚିତ୍ରରେ କୋଟିଆ ରହିଥିଲେ ସୁଧା ଆନ୍ଧ୍ର ଗଳା ବାଟ ଦେଇ ଅନୁପ୍ରବେଶ କରୁଛି । ସରକାର ବଦଳୁଥିଲେ ବି ସମସ୍ୟାର ସମାଧାନ ହୋଇପାରୁନି। ରାଜ୍ୟ ସରକାରଙ୍କ ଆନ୍ତରିକତା ନଥିବାରୁ କୋଟିଆ ସମସ୍ୟାର ସମାଧାନ ହୋଇପାରୁନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବିଧାୟକ। ତେବେ ବିବାଦର ସମାଧାନ ପାଇଁ ସମସ୍ତ ଓଡ଼ିଆ ଆଗେଇ ଆସିବାକୁ ଆହ୍ବାନ ଦେଇଛନ୍ତି ପୂର୍ବତନ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ। ଏବଂ କୋଟିଆକୁ ପର୍ଯ୍ୟଟନ ସ୍ଥଳି କରିବାକୁ ପ୍ରସ୍ତାବ ଦେଇଛନ୍ତି।

ପୂର୍ବରୁ ଆନ୍ଧ୍ରର ଅଙ୍ଗନବାଡି କମୀଙ୍କଠୁ ଅଧିକାରୀ, ମନ୍ତ୍ରୀ କୋଟିଆ ଭିତରେ ପଶିଥିବାର ଅନେକ ନଜିର ରହିଛି। ଯୋଜନାର ପ୍ରୋଲୋଭନ ଦେଖାଇ କୋଟିଆକୁ ଅକ୍ତିଆର କରିବାକୁ ଚେଷ୍ଟା ଜାରି ରଖିଛି ଆନ୍ଧ୍ର। ଏସଆଇଆର ପରେ ସ୍ପଷ୍ଟ ହେବ ଚିତ୍ର ।

Leave a Reply

Your email address will not be published. Required fields are marked *