ରାଜ୍ୟରେ ବଢୁଛି ଡ୍ରପଆଉଟ ହାର। ଡ୍ରପଆଉଟ ହ୍ରାସ ସହ ପିଲାଙ୍କ ସ୍କୁଲ ଶିକ୍ଷା ପ୍ରତି ଆଗ୍ରହ ବଢାଇବାକୁ ଅନେକ ଯୋଜନା କରାଯାଉଛି। ହେଲେ ଯୋଜନାର ସୁଫଳ ଗ୍ରାଉଣ୍ଡରେ ପହଞ୍ଚି ପାରୁନି। ଯାହାର ପରିଣାମ ଡ୍ରପଆଉଟ ହାର କମିବା ପରିବର୍ତ୍ତେ ବଢି ଚାଲିଛି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ୟୁନିଫାଏଡ଼ ଡିଜିଟାଲ ଇନଫର୍ମେସନ ଅନ ସ୍କୁଲ ଏଜୁକେସନ ବା UDISE ରିପୋର୍ଟ ଅନୁସାରେ ଗତବର୍ଷ ତୁଳନାରେ ଚଳିତ ବର୍ଷ ଡ୍ରପଆଉଟ ହାର ବଢିଛି।
ସାମନାକୁ ଆସିଲା ବିଦ୍ୟାଳୟ ଶିକ୍ଷାର ପୁଣି ଏକ ଚିନ୍ତାଜନକ ଚିତ୍ର। ଜାତୀୟ ସ୍ତରରେ କମୁଛି, ହେଲେ ରାଜ୍ୟରେ ବଢ଼ୁଛି ସ୍କୁଲ ଡ୍ରପ୍ଆଉଟ୍ ସଂଖ୍ୟା। ୨୦୨୩-୨୪ ଶିକ୍ଷାବର୍ଷରେ ମାଧ୍ୟମିକ ଶିକ୍ଷାରେ ଡ୍ରପ୍ଆଉଟ୍ ହାର ୯.୧% ପ୍ରତିଶତ ଥିବାବେଳେ ୨୦୨୪-୨୫ ରେ ଥିଲା ୯.୮%। ହେଲେ ଚଳିତବର୍ଷ ଏହି ହାର ୧୦%ରେ ପହଞ୍ଚିଛି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ୟୁନିଫାଏଡ଼ ଡିଜିଟାଲ ଇନଫର୍ମେସନ ଅନ ସ୍କୁଲ ଏଜୁକେସନ ବା UDISE ରିପୋର୍ଟରୁ ଏହା ସ୍ପଷ୍ଟ ଜଣାପଡିଛି। କିନ୍ତୁ ଜାତୀୟସ୍ତରରେ ଏହି ହାର ୨୦୨୩-୨୪ ରେ ୧୦.୯% ଥିବାବେଳେ ୨୦୨୪-୨୫ ରେ ୮.୨% ଏବଂ ୨୦୨୫-୨୬ ରେ ଏହା ୭% କୁ ଖସିଛି। ଡ୍ରପଆଉଟ ହ୍ରାସ ପାଇଁ ରାଜ୍ୟ ସରକାର ଅନେକ ଯୋଜନା କରୁଛନ୍ତି। କିନ୍ତୁ ତାର ସୁଫଳ ମିଳୁନି। ଆଉ ଡ୍ରପଆଉଟ ବୃଦ୍ଧି ଏବେ ଚିନ୍ତା ବଢ଼ାଇଛି।
ମୁଖ୍ୟତଃ ସ୍କୁଲଗୁଡିକରେ ଆବଶ୍ୟକୀୟ ଶିକ୍ଷକଙ୍କ ଅଭାବ, ଯେଉଁଠି ବି ଶିକ୍ଷକ ଅଛନ୍ତି ସେମାନଙ୍କୁ ଏକାଧିକ ଅଣଶୈକ୍ଷିକ କାମରେ ନିୟୋଜିତ କରାଯାଉଛି। ଫଳରେ ସେମାନେ ଛାତ୍ରଛାତ୍ରୀଙ୍କ ଉପରେ ଅଧିକ ଗୁରୁତ୍ୱ ଦେଇପାରୁ ନାହଁନ୍ତି ଅଭିଯୋଗ କରିଛନ୍ତି ଅଭିଭାବକ। ରିପୋର୍ଟ ଅନୁସାରେ ରାଜ୍ୟରେ ୬୧ହଜାର ୫୯୪ ସ୍କୁଲରେ ୭୭ଲକ୍ଷ ୮୮ହଜାର ୫୬୭ ପିଲା ପାଠ ପଢ଼ୁଛନ୍ତି। ସେଥିପାଇଁ ୩ଲକ୍ଷ ୪୧ହଜାର ୯୦୯ ଶିକ୍ଷକ ଅଛନ୍ତି। ୨୦୨୪-୨୫ ଶିକ୍ଷାବର୍ଷରେ ୧୦୮୯ ଟି ସ୍କୁଲ ଜଣେ ଲେଖାଏଁ ଶିକ୍ଷକଙ୍କୁ ନେଇ ଚାଲୁଥିଲା। ହେଲେ ୨୦୨୫-୨୬ ରେ ଏହି ସଂଖ୍ୟା ବଢ଼ିଛି। ୧୪୫୮ ଟି ସ୍କୁଲରେ ଜଣେ ଲେଖାଏଁ ଶିକ୍ଷକରେ ପାଠପଢ଼ା ହେଉଛି। ଏହି ସ୍କୁଲରେ ପାଠ ପଢୁଛନ୍ତି ମୋଟ ୫୯ହଜାର ୬୭୨ ଛାତ୍ରଛାତ୍ରୀ। ଓଡ଼ିଶାରେ ବଢୁଥିବା ବେଳେ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଭଳି ପଡ଼ୋଶୀ ରାଜ୍ୟରେ କିନ୍ତୁ ଡ୍ରପଆଉଟ ହାର କମୁଛି।
