ପିଲାଙ୍କ ବହିରେ ‘ନିମ୍ବୁଡ଼ା-ନିମ୍ବୁଡ଼ା’, ଜାତୀୟ ଗଣମାଧ୍ୟମରେ ଓଡ଼ିଶାର ଚର୍ଚ୍ଚା ; କହିଲେ ଶିକ୍ଷା ବ୍ୟବସ୍ଥାର ଏ କି ଚିତ୍ର … ଆମେ କହୁଛୁ ପଞ୍ଚମ ଶ୍ରେଣୀର କୋମଳମତି ଶିଶୁମାନେ ସେମାନଙ୍କ ଇଂରାଜୀ ବହିରେ କୌଣସି ଜ୍ଞାନକଥା ନୁହେଁ ବରଂ ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ସୁପରହିଟ୍ ଗୀତ ‘ନିମ୍ବୁଡ଼ା-ନିମ୍ବୁଡ଼ା’ ପଢ଼ୁଥିବାର ଦେଖିବାକୁ ମିଳୁଛି ।

ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ଏହି କିଛି ଦିନ ହେଲା କେତେ ସମୃଦ୍ଧ ହୋଇଛି ତାହା ସୋସିଆଲ୍ ମିଡିଆଠାରୁ ଆରମ୍ଭ କରି ବର୍ତ୍ତମାନ ଜାତୀୟ ଗଣମାଧ୍ୟମର ଶିରୋନାମାରେ ସ୍ଥାନ ପାଇଛି । ପାଠବହିରେ ତ୍ରୁଟିକୁ ନେଇ ମୁଣ୍ଡ ଟେକିଥିବା ଏହି ପ୍ରସଙ୍ଗ ଏବେ ଖାଲି ରାଜ୍ୟରେ ସୀମିତ ନାହିଁ ଏହାର ଖବର ଜାତୀୟ ଗଣମାଧ୍ୟମରେ ମଧ୍ୟ ଡିବିଡିବି ହେଲାଣି । ଆମେ କହୁଛୁ ପଞ୍ଚମ ଶ୍ରେଣୀର କୋମଳମତି ଶିଶୁମାନେ ସେମାନଙ୍କ ଇଂରାଜୀ ବହିରେ କୌଣସି ଜ୍ଞାନକଥା ନୁହେଁ ବରଂ ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ସୁପରହିଟ୍ ଗୀତ ‘ନିମ୍ବୁଡ଼ା-ନିମ୍ବୁଡ଼ା’ ପଢ଼ୁଥିବାର ଦେଖିବାକୁ ମିଳୁଛି । ହଁ ପାଠକବନ୍ଧୁ,୧୯୯୯ ମସିହାର ସୁପରହିଟ୍ ଫିଲ୍ମ ‘ହମ୍ ଦିଲ୍ ଦେ ଚୁକେ ସନମ୍’ର ଏହି ପପୁଲାର୍ ଗୀତର ସମ୍ପୂର୍ଣ୍ଣ ଲିରିକ୍ସକୁ ପଞ୍ଚମ ଶ୍ରେଣୀର ସରକାରୀ ଇଂରାଜୀ ପାଠ୍ୟପୁସ୍ତକରେ ଛାପି ଦିଆଯାଇଛି । ଶିକ୍ଷା ବିଭାଗର ଏଭଳି ବେପରୁଆ ମନୋଭାବ ଏବଂ ଏଡିଟିଂ ଉପରେ ଏବେ ସାରା ରାଜ୍ୟରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ତେବେ ଏହି ସାଂଘାତିକ ଭୁଲ୍ ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ପ୍ରାଥମିକ ବିଦ୍ୟାଳୟର ଏହି ପାଠ୍ୟପୁସ୍ତକର କିଛି ପୃଷ୍ଠାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଲା। ଛାତ୍ରଛାତ୍ରୀଙ୍କୁ ଶିକ୍ଷଣୀୟ ବିଷୟ ପଢ଼ାଇବା ବଦଳରେ ବଲିଉଡର ମସଲା ଗୀତ ପଢ଼ାଯିବାକୁ ନେଇ ଏବେ ସବୁଠି ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ପୁସ୍ତକ ପ୍ରସ୍ତୁତି, ସମୀକ୍ଷା ଏବଂ ଛାପା କାର୍ଯ୍ୟରେ ନିୟୋଜିତ ଥିବା କ୍ୱାଲିଟି କଣ୍ଟ୍ରୋଲ୍ ଟିମ୍‌ର ଅସଲ ଚେହେରା ପଦାରେ ପଡ଼ିଛି। ଶିକ୍ଷାବିତ୍ ଏବଂ ଅଭିଭାବକମାନେ କ୍ରୋଧ ପ୍ରକାଶ କରି ପ୍ରଶ୍ନ କରିଛନ୍ତି ଯେ ବହିଟିଏ ଛାତ୍ରଛାତ୍ରୀଙ୍କ ହାତକୁ ଯିବା ପୂର୍ବରୁ ଅନେକ ପର୍ଯ୍ୟାୟରେ ଏହାର ଯାଞ୍ଚ ହୋଇଥାଏ। ତେବେ ଏତେ ବଡ଼ ଭୁଲ୍ ଅଧିକାରୀମାନଙ୍କ ନଜରକୁ କେମିତି ଆସିଲାନି? ଏହା କି ପ୍ରକାରର ଦାୟିତ୍ୱହୀନତା? ତେବେ ଏ ସମ୍ପର୍କରେ ଶିକ୍ଷା ବିଭାଗର କୌଣସି ବରିଷ୍ଠ ଅଧିକାରୀ ଏ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟୀକରଣ କିମ୍ବା ଆଧିକାରିକ ବୟାନ ଦେଇନାହାନ୍ତି।

ଅନ୍ୟପଟେ, ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ଇଣ୍ଟରନେଟ୍ ୟୁଜର୍ସ ଏହି ପୃଷ୍ଠାର ସ୍କ୍ରିନଶଟ୍ ସେୟାର କରି ଭିନ୍ନ ଭିନ୍ନ ମିମ୍ସ ବନାଉଛନ୍ତି ଏବଂ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ନେଇ ଟ୍ରୋଲ୍ କରୁଛନ୍ତି। କିଛି ଲୋକ ଏହାକୁ ମଜାଳିଆ ଅନ୍ଦାଜରେ ନେଉଥିବା ବେଳେ ଅଧିକାଂଶ ସଚେତନ ନାଗରିକ କହିଛନ୍ତି ଯେ ଏହା ଶିକ୍ଷା ବ୍ୟବସ୍ଥାର ବିଶ୍ୱସନୀୟତା ଉପରେ ଏକ କଳା ଦାଗ ଏବଂ ଏହା ପିଲାଙ୍କ ଭବିଷ୍ୟତ ସହ ଖେଳ ସଦୃଶ। ଯଦି ଏହି ତ୍ରୁଟିର ସତ୍ୟତା ଆନୁଷ୍ଠାନିକ ଭାବେ ସ୍ୱୀକାର କରାଯାଏ ତେବେ ଆଗାମୀ ଦିନରେ ପାଠ୍ୟପୁସ୍ତକ ମୁଦ୍ରଣ ପ୍ରକ୍ରିୟାରେ ବ୍ୟାପକ ସଂଶୋଧନର ଆବଶ୍ୟକତା ରହିଛି। ଏବେ ଦେଖିବାକୁ ବାକି ରହିଲା, ଏହି ସାଂଘାତିକ ଅବହେଳା ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ ସରକାର କେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି।

Leave a Reply

Your email address will not be published. Required fields are marked *